ଗଣମାଧ୍ୟମ ପାଇଁ ଆତ୍ମଚିନ୍ତନର ସମୟ

ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ସମଗ୍ର ବିଶ୍ୱରେ ଅନନ୍ୟ ଏବଂ ଅତୁଳନୀୟ ପାରଦର୍ଶିତା ଲାଭ କରିଛି। ଦେଶର ପ୍ରଗତିରେ ସଦାସର୍ବଦା ଗଣମାଧ୍ୟମର ଭୂମିକା ଅତୁଳନୀୟ ହୋଇଛି।ଦୁଇଶହ ବର୍ଷରୁ ଉର୍ଦ୍ଧ୍ବ ଗୋରା ଶାସନ କବଳରୁ ଦେଶକୁ ମୁକ୍ତ କରାଇବାରେ ଅନେକ ଦେଶପ୍ରେମୀ ନିଜର ଜୀବନ,ଜୀବିକା,ଘର ପରିବାରକୁ ଭୁଲିଯାଇ ଦେଶପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ହସି ହସି କିଏ ଫାସିଖୁଣ୍ଟରେ ଚଢ଼ିଗଲେ ତ କିଏ ଇଂରେଜ ଗୁଳିରେ ଟଳିପଡ଼ିଲେ। ସବୁଠାରୁ ମହତ୍ଵପୂର୍ଣ୍ଣ ବିଷୟ ହେଉଛି ଅଧିକାଂଶ ସ୍ଵାଧୀନତା ସଂଗ୍ରାମୀ ନିଜର ଲେଖନୀ ବଳରେ ଅଖଣ୍ଡ ଭାରତର ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରାଇ ପାରିଥିଲେ। ଫଳରେ ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରେ ସ୍ୱାଧୀନତାର ସ୍ଵାଦ ଚାଖିବା ପାଇଁ ଜନତା ନିଜକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ମୋ ଉତ୍କଳରେ ମଧ୍ୟ ଅନେକ ବିରପୁତ୍ରଙ୍କ ଲେଖନୀ ଓଡ଼ିଆଙ୍କୁ ଜାଗ୍ରତ କରାଇଥିଲା। ସ୍ଵାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ଵଭାବ କବି ଗଙ୍ଗାଧର ମେହେର, ଜାତୀୟ କବି ବିର କିଶୋର,ସ୍ଵାଧୀନତା ସଂଗ୍ରାମୀ କବି ରାଧା ମୋହନ ଗଡନାୟକଙ୍କ ଭଳି ମହାନ ସାରସତ୍ଵ ସାଧାକଙ୍କ ଲେଖନୀ ଜନତାଙ୍କୁ ଦେଶ ପ୍ରେମରେ ବ୍ରତି ହେବାପାଇଁ ପ୍ରେରଣା ପ୍ରଦାନ କରିଥିଲା। ସେହି ମହାପୁରୁଷଙ୍କର ପ୍ରଚେଷ୍ଟା ଓ ସ୍ଵପ୍ନକୁ ସାକାର କରିବାକୁ ଆମକୁ ଜାଗ୍ରତ ହେବାକୁ ପଡ଼ିବ। ସ୍ୱାର୍ଥ ରୁ ଊର୍ଦ୍ଧ୍ୱରେ ରହି ନିଃସ୍ୱାର୍ଥପରତା ଆପଣେଇ ଆମକୁ ମଧ୍ୟ ଦେଶ ସାମୂହିକ ବିକାଶ ପାଇଁ ଐକ୍ୟବଦ୍ଧ ହେବାକୁ ପଡ଼ିବ।

ଆପଣ ମାନଙ୍କ କର୍ଣ୍ଣ ରେ ଗୁଞ୍ଜରିତ ହେଉ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେହି କୋହ ଭରା ନିବେଦନ

ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ,
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ ?
ସ୍ଵାର୍ଥର ବନିତା ଅଟେ ତୋଷାମଦ
ଭୟ ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର,
ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ?
ପୂରୁବ ଗୌରବ ପୂରୁବ ମହିମା ପଡ଼ୁ ନାହିଁ କିରେ ତୋର ମନେ?
ତୋହରି ଜନନୀ ବୀର ପ୍ରସବିନୀ ଧୂଳିରେ ପଡ଼ିଛି ଦେଖ,
ଏହି ସମାଜରେ ଏ ମହୀ ମଧ୍ୟରେ କିପରି ଦେଖାଉ ମୁଖ?
ତୋ ପୂର୍ବ ପୁରୁଷ ସ୍ୱର୍ଗଧାମେ ଥାଇ ଭୋଗୁଛନ୍ତି ମନସ୍ତାପ, ତାଙ୍କରି ଜୀବନ କରି ବିସ୍ମରଣ କରୁଛୁ ତୁ ମନସ୍ତାପ !!

ସେହି ମହାପୁରୁଷଙ୍କର ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି। ତାଙ୍କର ଜୟଗାନ କରିବା ସହିତ ଭବିଷ୍ୟତର ଦାୟାଦ ଭାବେ ଆମେ କେବଳ କର୍ତ୍ତବ୍ୟ ସମ୍ପାଦନ କରୁଛେ।ବିଦେଶୀ ଶାସନରୁ ମୁକ୍ତ ହୋଇ ଭାରତୀୟମାନେ ମୁକ୍ତିର ଜୟଗୀତି ଗାନ କଲେ “ଆମେ ଚଳାଇବୁ ଦେଶ ଆମରି, ଆମରି ନାଆରେ ଆମେ ନାଉରି”। ଶିକ୍ଷା,ସ୍ଵାସ୍ଥ୍ୟ,ଗମନାଗମନ,କୃଷି ଉତ୍ପାଦନ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଆମ ଦେଶ ନିସନ୍ଧେହ ଢ଼େର ଅଗ୍ରଗତି କରିଛୁ। କିନ୍ତୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଆମେ ହୋଇ ଯାଇଛୁ ଅନ୍ଧ। ଏଥିରେ ସମାନ ସହଭାଗିତା ରହୁଛନ୍ତି ଦେଶର ଅମଲାତନ୍ତ୍ର। ଭୁଲି ଯାଉଛନ୍ତି ନିଜର କର୍ତ୍ତବ୍ୟବୋଧକୁ। ବିଶ୍ୱର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ଏବେ ବିପନ୍ନ। ବ୍ୟକ୍ତି ସ୍ଵାଧୀନତା ଉପରେ ଅଙ୍କୁଶ ଲଗାଯାଉଛି । ବାକ୍ ସ୍ଵାଧୀନତା କ୍ଷୁର୍ଣ୍ଣ ହେଉଛି । ଗଣତାନ୍ତ୍ରିକ ସ୍ୱଚ୍ଛ ଶାସନ ବ୍ୟବସ୍ଥା ପରିବର୍ତ୍ତେ ଅପରାଧ ବଢ଼ି ଯାଉଛି । ଦୁର୍ନୀତିର ବଳୟ ମଧ୍ୟରେ ଜନ ସମାଜ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଆମର ବୌଦ୍ଧିକ ଜ୍ଞାନରେ ପରିବର୍ତ୍ତନ ଆସୁନାହିଁ। ଦେଶାତ୍ମବୋଧ ଭାବନା ଅଭାବ ପରିଲକ୍ଷିତ ହେଉଛି। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକା,ପ୍ରଶାସନ ଏବଂ ଗଣମାଧ୍ୟମ ଉଭୟେ ପରିପୂରକ ହେବାକଥା। ମୁଖ୍ୟ ଧାରାରେ ଗଣମାଧ୍ୟମର ନିରପେକ୍ଷତା ନିତାନ୍ତ ଆବଶ୍ୟକ । ଯାହା ପାଳନ ହୋଇ ପାରୁନାହିଁ । ଗଣତନ୍ତ୍ରକୁ ଦ୍ୱାହି ଦେଇ ଆଜି ଦେଶରେ ଶାସନ ଚାଲିଛି। ଦେଶର ନାଗରିକ ମାନଙ୍କର ଆଚରଣ,ବ୍ୟବହାର,ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟବୋଧ କଣ ହେବାକଥା ସଚେତନତାର ଅଭାବ ପରିଲକ୍ଷିତ ହେଉଛି । ଏଥିରେ କମ ଅଧିକେ ଆମ ଗଣମାଧ୍ୟମର ଦାୟିତ୍ୱବୋଧକୁ ମଧ୍ୟ ଭୁଲି ଯାଇଛୁ । ଯିଏ ଏହାକୁ ନିର୍ବାହ କରୁଛି ଆକ୍ରୋଶର ମଧ୍ୟ ଶିକାର ହେଉଥିବା ଦେଖିବାକୁ ମିଳୁଛି। ଗଣମାଧ୍ୟମର ସ୍ୱତନ୍ତ୍ରତାକୁ ଲୁପ୍ତ କରିଦେବାର ପ୍ରଚେଷ୍ଟା ଚାଲିଛି । ତେଣୁ ଆମକୁ ଆତ୍ମମନ୍ଥନର ଆବଶ୍ୟକତା ଅଛି। ଦେଶର ଏହି ସଙ୍କଟମୟ ପରିସ୍ଥିତିରେ ଆମର ଭୂମିକା ନିରୂପଣ କରିବାକୁ ହେବ। ଆମକୁ ଆହୁରି ସଜାଗ ହେବାକୁ ପଡିବ । ଏକତାସୁତ୍ରରେ ସମସ୍ତେ ବାନ୍ଧିହୋଇ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ । ନିଃସ୍ୱାର୍ଥପର ମନୋଭାବ ନେଇ ଜନତାଙ୍କୁ ଜାଗ୍ରତ କରାଇବାକୁ ପଡ଼ିବ। ତେବେଯାଇ ଦେଶ ସ୍ଵାଧୀନତା ପାଇବାର ଉପଯୁକ୍ତ ଉବଲବ୍ଧି ହାସଲ କରି ପାରିବ । ଦେଶପ୍ରେମ ମନୋଭାବରେ ନିଜ ସ୍ୱାର୍ଥକୁ ମାତ୍ରାଧିକ ଅଗ୍ରାଧିକାର ଦେଲେ ଗଣମାଧ୍ୟମର କାର୍ଯ୍ୟଧାରା ମଧ୍ୟ ବଦଳି ଯାଇଥାଏ। ଆମକୁ ଆହୁରି ଶାଣିତ ହେବାକୁ ପଡ଼ିବ। ଗଣମାଧ୍ୟମର ମୂଲ୍ୟବୋଧକୁ ବୁଝିବାକୁ ପଡ଼ିବ। ସାମ୍ବାଦିକତା ପାଇଁ ଉଦ୍ଧିଷ୍ଟ ପାଠ୍ୟକ୍ରମ ଓ ସମସ୍ତ ନୀତି ନିୟମ ଅଧ୍ୟୟନ କରିବାକୁ ପଡ଼ିବ। ତେବେ ଯାଇ ଆମେ ଆମର ସଂପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ପାରିବା ଏବଂ ଦେଶ ଜାତି ପାଇଁ ନିଜକୁ ଉତ୍ସର୍ଗୀକୃତ କରି ପାରିବା । ଜୟ ହିନ୍ଦ୍ ,ଜୟ ମାଁ ଭାରତୀ ।

ଜଗମୋହନ ପଟ୍ଟନାୟକ

ମୁଖ୍ୟ ସମ୍ପାଦକ/ପ୍ରତିଷ୍ଠାତା, ଜନମତ ନ୍ୟୁଜ୍ 
ମୋ : ୭୭୫୦୦୩୩୧୧୧

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!