ଜୟପାଟଣା ବଜାରରେ ମାଂସ ବ୍ୟବସାୟୀଙ୍କ ମନମାନି: ଚଢ଼ା ଦରରେ ବିକ୍ରି ହେଉଛି ଅତି ନିମ୍ନମାନର ମାଂସ

ପ୍ରଶାସନ ନୀରବଦ୍ରଷ୍ଟା,ଗ୍ରାହକ ସାଜିଛନ୍ତି ମୁକ

ଜୟପାଟଣା:୨୯/୭(ବ୍ୟୁରୋ)କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ଓ ଏହାର ଆଖପାଖ ଅଞ୍ଚଳରେ ଅସାଧୁ ମାଂସ ବ୍ୟବସାୟୀଙ୍କ ମନମୁଖୀ କାରବାର ଏବେ ଚରମ ସୀମାରେ ପହଞ୍ଚିଛି। ଗ୍ରାହକଙ୍କୁ ଖୁଲମଖୁଲା ଲୁଟ୍ କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ସମ୍ପୂର୍ଣ୍ଣ ନିରବ ସାଜିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ଅଥଚ ସେମାନେ ମୁକ ସାଜିଛନ୍ତି ।

ନିୟମ ବେଖାତିର, ଆକାଶଛୁଆଁ ଦର –

ସୂଚନା ଅନୁସାରେ, ଜୟପାଟଣା ବଜାରରେ ଛେଳି ମାଂସର ଦର ସରକାରୀ ନିର୍ଦ୍ଧାରିତ ମୂଲ୍ୟକୁ ଟପି ପ୍ରାୟ କିଲୋ ପିଛା ୮୦୦ ହୋଇଥିବା ସୂଚନା ଅଛି । ବ୍ୟବସାୟୀମାନେ କୌଣସି ନିୟମ ନମାନି ନିଜ ଇଚ୍ଛା ମୁତାବକ ଚଢ଼ା ଦର ଆଦାୟ କରୁଛନ୍ତି କିନ୍ତୁ ଦର ଅନୁସାରେ ସେ ଧରଣର ଉତ୍କୃଷ୍ଟ ମାଂସ ଦେଉ ନଥିବା ଅଭିଯୋଗ ଆସୁଛି । କୌଣସି ଗ୍ରାହକ ଏହାର ପ୍ରତିବାଦ କଲେ,ବ୍ୟବସାୟୀମାନେ ଓଲଟା ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

ସ୍ୱାସ୍ଥ୍ୟ ସହ ଖେଳ –

ବିକ୍ରି ହେଉଥିବା ମାଂସର ମାନକୁ ନେଇ ମଧ୍ୟ ଗମ୍ଭୀର ଅଭିଯୋଗ ଆସିଛି । ଅତି ନିମ୍ନ ଧରଣର, ଅସ୍ୱାସ୍ଥ୍ୟକର ମାତ୍ରାଧିକ ପାଣି ମିଶା ମାଂସକୁ ଗ୍ରାହକଙ୍କୁ ଜବରଦସ୍ତି ବିକ୍ରି କରାଯାଉ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି ଓଜନରେ ମଧ୍ୟ ହେରଫେର କରାଯାଉଥିବା ନେଇ କିଛି ଗ୍ରାହକ ଅଭିଯୋଗ କରିଛନ୍ତି । ଏହି ନିମ୍ନମାନର ମାଂସ ଖାଇ ଲୋକେ ବିଭିନ୍ନ ରୋଗର ଶିକାର ହେବାର ଆଶଙ୍କା ଦେଖା ଦେଇଛି।

କୁମ୍ଭକର୍ଣ୍ଣ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ –

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର (Food Safety Department) ଏଥିପ୍ରତି ସାମାନ୍ୟ ନିଘା ନାହିଁ। ବଜାରରେ କେବେ ହେଲେ ଆକସ୍ମିକ ଚଢ଼ାଉ କିମ୍ବା ଯାଞ୍ଚ କରାଯାଉ ନାହିଁ। ପ୍ରଶାସନର ଏହି ନିଷ୍କ୍ରିୟତାର ସୁଯୋଗ ନେଇ ବ୍ୟବସାୟୀମାନେ ବେଫିକର ହୋଇ ସାଧାରଣ ଜନତାଙ୍କୁ ଲୁଟିବାରେ ଲାଗିଛନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ନିୟମିତ ଭାବେ ଏହାର ତଦାରଖ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!