ଜୟପାଟଣାର ବିକାଶରେ ବ୍ୟକ୍ତିଗତ ସ୍ୱାର୍ଥ ମୁଖ୍ୟ ପ୍ରତିବନ୍ଧକ

ସମାଜ ଓ ଜାତିର ଉନ୍ନତିରେ ହିଁ ବ୍ୟକ୍ତିର ଉନ୍ନତି ନିହିତ ଥାଏ । କିନ୍ତୁ ଆଜିର ବଦଳୁଥିବା ପରିସ୍ଥିତି ଏବଂ ପରିବେଶରେ ଏହି ମହତ ଚିନ୍ତାଧାରାରେ ଏକ ବଡ଼ ଅବନତି ଦେଖିବାକୁ ମିଳୁଛି। ବ୍ୟକ୍ତି କେନ୍ଦ୍ରିକ ସ୍ଵାର୍ଥ, ନିଜର ବ୍ୟକ୍ତିଗତ ଲାଭ ଏବଂ କ୍ଷମତାର ଲୋଭ ଯୋଗୁଁ ଆଜି ଆମ ଜାତି ଓ ସମାଜ ପ୍ରଗତି ପଥରେ ପଛରେ ପଡ଼ିଯାଉଛି । ଏଥିରୁ ଜୟପାଟଣା ଭଳି କ୍ଷୁଦ୍ର ସହର ବି ବାଦ୍ ପଡ଼ିନାହିଁ । କାହିଁକି ସାମୂହିକ ବିକାଶ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ସାଜିଛି ନିଶ୍ଚିତ ପ୍ରଶ୍ନବାଚୀ ।


କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଠାରୁ ପ୍ରାୟ ୮୦ କିମି ଦୂରତାରେ ଅବସ୍ଥିତ ଜୟପାଟଣା ବ୍ଲକ ମୁଖ୍ୟ କାର୍ଯ୍ୟାଳୟ । ଏହି ବ୍ଲକର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ମୋଟ ୧,୯୦,୭୯୯ ଥିଲା । କେବଳ ଜୟପାଟଣାର ହାରାହାରି ଜନସଂଖ୍ୟା ୧୨୧୮୪ ଜଣ ଅଛନ୍ତି । ୨୨ଟି ଗ୍ରାମ ପଞ୍ଚାୟତ ଏହି ବ୍ଲକ ଅଧୀନରେ ଅଛି । ଏହି ସହରର ଚତୁର୍ଦ୍ଦିଗ ପାହାଡ ପର୍ବତ ଘେରା ସୁନ୍ଦର ବୃକ୍ଷରାଜିରେ ପରିବେଷ୍ଟିତ ।


ସହରରେ ୩୦ ଶଯ୍ୟା ବିଶଷ୍ଟ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ପୂର୍ବ ପ୍ରତିଷ୍ଠା ହରାଇ ବସିଛି । ଦୀର୍ଘ ବର୍ଷରୁ ଅଭିଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ର ଛାଡି ଔଷଧ ଦୋକାନୀ ଏବଂ କବିରାଜ ମାନଙ୍କ ଭରଷାରେ ରହୁଛନ୍ତି ଜନସାଧାରଣ । ସାଧାରଣ ମୁଣ୍ଡ ଅଣ୍ଟା ବ୍ୟଥା ରୋଗୀଙ୍କୁ ବି ସଦର ମହକୁମାକୁ ରେଫର୍ କରା ଯାଉଥିବା ଅଭିଯୋଗ ଆସୁଛି । ଏଥିପ୍ରତି କାହାର ନିଘା ନଥିବା ଲକ୍ଷ୍ୟ କରାଯାଏ । ଉତ୍ତମ ଗୁଣବତ୍ତା ଶିକ୍ଷା ବ୍ୟବସ୍ଥାର ମଧ୍ୟ ଏହି ସହରରେ ଅଭାବ ରହିଛି । ସହରର ବାଳିକା ବିଦ୍ୟାଳୟରେ ପୂର୍ବ ଶିକ୍ଷୟିତ୍ରୀ ମାନଙ୍କ ଅବସର ପରେ ଆଉ ନୂତନ ନିଯୁକ୍ତି ହୋଇନାହିଁ । ମାତ୍ର ଦୁଇଜଣ ଶିକ୍ଷୟିତ୍ରୀଙ୍କ ଭରଷାରେ ବିଦ୍ୟାଳୟ । ଏପରି ସମଦଶା ବ୍ଲକର ଅନ୍ୟ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ଗୁଡିକରେ ଦେଖିବାକୁ ମିଳିଛି । ଅଞ୍ଚଳର ପୁରାତନ ଉମା ଶଙ୍କର ଉଚ୍ଚ ବିଦ୍ୟାଳୟର ଅବସ୍ଥା ଶିକ୍ଷକ ଅଛନ୍ତି ପିଲାଙ୍କୁ ପଢ଼ିବା ପାଇଁ ଭରସା ପାଉନାହିଁ । ସେପରି ଯୁକ୍ତ ଦୁଇ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟାପକଙ୍କ ଘୋର ଅଭାବ ଯୋଗୁଁ ପାଠପଢ଼ାରେ ବ୍ୟାଘାତ ହେଉଛି । ଅନ୍ୟଥା ଏହି ମହାବିଦ୍ୟାଳୟ ଦିନ ଥିଲା କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ ଥିଲା । ଯୁକ୍ତ ତିନି ମହାବିଦ୍ୟାଳୟର ମଧ୍ୟ ପ୍ରତିଷ୍ଠା ପୂର୍ବାପେକ୍ଷା କ୍ଷୀଣ ହେବାରେ ଲାଗିଛି । ଅନେକ ପ୍ରାଥମିକ ଶିକ୍ଷାକେନ୍ଦ୍ରରେ ଶିକ୍ଷକ ଏବଂ ଭିତି ପ୍ରସ୍ତରର ଅଭାବ ଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ଘଟୁଛି । ଅଦ୍ୟାବଧି ଧନସୁଲି ଗ୍ରାମ ପଞ୍ଚାୟତର ନଲାଚୁଆଁ, ଅଂଲାଭଟା ଗ୍ରାମ ପଞ୍ଚାୟତର ପଟ୍ଟା କୁସୁମୀ, ଦାବ୍ରିଘାଟି,ଭଳି ଅଞ୍ଚଳକୁ ଯଦି ଲକ୍ଷ୍ୟ କରିବା ଆମର ବିକାଶ କେତେ ହୋଇଛି ଜାଣି ପାରିବେ । ଆନ୍ତରିକତାର ଅଭାବ ଯୋଗୁଁ ପଲ୍ଲୀ ସ୍ତରରେ ଗାଁ ଗଣ୍ଡାର ରାସ୍ତା ଘାଟରେ ପ୍ରତ୍ୟେକ ବର୍ଷ କୋଟି କୋଟି ଅର୍ଥରାଶି ଖର୍ଚ୍ଚ ହେଉଛି କିନ୍ତୁ ସବୁ ଠିକାଦାର, ବିଭାଗୀୟ ଅଧିକାରୀ ଏବଂ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ଯୋଗୁଁ “ଯଥା ପୂର୍ବ଼ଂ ତଥା ପର” ଦୁର୍ଦ୍ଦଶା ଭୋଗୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣନ୍ତି । ଏପରି ହେବାର ମୁଖ୍ୟ ଦୋଷୀ ସାଧାରଣ ଜନତାଙ୍କୁ ବୁଦ୍ଧିଜୀବୀ ନିନ୍ଦା ଦିଅନ୍ତି । କାରଣ ସେମାନଙ୍କ କହିବା ଅନୁଯାୟୀ କ୍ରମାଗତ ଭାବେ ଅସାଧୁ ଉପାୟ ଅବଲମ୍ବନ କରି ଅନେକ ରାଜନୈତିକ ବ୍ୟକ୍ତି ବିଶେଷ କ୍ଷମତାରେ ଆସୁଛନ୍ତି,ଗଣତନ୍ତ୍ର ରାଷ୍ଟ୍ରରେ ଅଦ୍ୟାବଧି ନିର୍ବାଚନ ପ୍ରକ୍ରିୟାକୁ ବୁଝି ନପାରି ଜନତା ଜନାର୍ଦ୍ଦନ ସଳ୍ପ କିଛି ଉତ୍କୋଚ ପାଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାରୁ ବଞ୍ଚିତ ହେଉଥିବାରୁ ଏହାର ପ୍ରଭାବ ପରବର୍ତ୍ତୀ ସମୟରେ ଅଞ୍ଚଳକୁ ଭୋଗିବାକୁ ପଡ଼ୁଛି । ବର୍ତ୍ତମାନ ଆଉ ଏକ ବଡ ସମସ୍ୟା ମୁଣ୍ଡ ଟେକିଛି, ସମଗ୍ର ଜିଲ୍ଲାରେ ଏହି ବ୍ଲକ ଭାତୃଭାବ ଏବଂ ଶାନ୍ତ ପରିବେଶ ପାଇଁ ପରିଚିତ ଥିଲା । କିନ୍ତୁ ଆଜି ପରିସ୍ଥିତି ବଦଳିଛି ଜାତି ଧର୍ମ ବର୍ଣ୍ଣ କୁ ନେଇ ନିଜ ଭିତରେ ଭେଦଭାବ ସୃଷ୍ଟି ହୋଇ ଏକତାର ଯେଉଁ ନିଦର୍ଶନର ଉଦାହରଣ ସାଜିଥିଲା ଜୟପାଟଣା ଆଜି ଧିରେ ଧିରେ କଳୁଷିତ ହୋଇ ଯାଉଥିବା ଚର୍ଚ୍ଚା ହୁଏ । ତେଣୁ ଅଞ୍ଚଳର ବିକାଶ ପାଇଁ ଏହା ଏକ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ଖେଳକୁଦରେ ରାଜ୍ୟରେ ସ୍ୱତନ୍ତ୍ରତା ପାଇଥିବା ଏହି ଅଞ୍ଚଳ ଆଜି ନିଜ ଉତ୍ତରାଧିକାରୀ ଖୋଜୁଛି କିନ୍ତୁ ଆଜିର ପିଢ଼ି ଅତ୍ୟଧିକ ମୋବାଇଲ ଇଣ୍ଟରନେଟରେ ବ୍ୟସ୍ତତା ଏବଂ ଅଳ୍ପ ବୟସରୁ ନିଶାଖୋର ହୋଇ ଯାଉଥିବାରୁ ଖେଳକୁଦରୁ ନିବୃତ ରହୁଛନ୍ତି । ସରକାରୀ ସ୍ତରରେ ଖେଳ ପାଇଁ ଯେଉଁ ସହଯୋଗ ହେବାକଥା ସବୁ ଖାତା କଲମରେ ସିମୀତ ରହି ଯାଉଛି । ପୂର୍ବ ଭଳି ଅନୁଷ୍ଠାନ ଏବଂ କ୍ଲବ୍ ଗୁଡ଼ିକ ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଏତେ ସବୁ ସମସ୍ୟା ଭିତରେ ଅନେକ ଦିନର ଦାବି ପରେ ବ୍ଲକର ଜୟପାଟଣା ଗ୍ରାମ ପଞ୍ଚାୟତକୁ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ NAC ଘୋଷଣା କରିଛନ୍ତି । ଦେଖାଯାଉ ଏହି ନୂତନ ରୂପରେ ଜୟପାଟଣାର ଆଗାମୀ ଭବିଷ୍ୟତ କେତେ ଉଜ୍ଜ୍ବଳ ହେବ ସମୟ କହିବ ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!