ବିଶେଷ ଉପସ୍ଥାପନା –
ଜଗମୋହନ ପଟ୍ଟନାୟକ
(ସମ୍ପାଦକ ଜନମତ ନ୍ୟୁଜ୍)
“ଯେତେବେଳେ ବିଶ୍ଵ ବ୍ରହ୍ମାଣ୍ଡ ପାପର ଭାରରେ ନଇଁଯାଏ, ଅତ୍ୟାଚାରର ଅନ୍ଧକାର ଚାରିଆଡ଼େ ଘୋଟିଯାଏ… ସେତେବେଳେ ଦୁଷ୍ଟର ବିନାଶ ଆଉ ଶିଷ୍ଟର ପାଳନ ପାଇଁ ଆବିର୍ଭାବ ହୁଅନ୍ତି ଆଦ୍ୟାଶକ୍ତି ମା’ ଦୁର୍ଗା ! ଆଜି ସେହି ମହିଷାମର୍ଦ୍ଦିନୀଙ୍କ ଆବାହନରେ ଉତ୍ସବମୁଖର ସାରା ବିଶ୍ୱ । ଶରତର ସେହି ସାଉଁଳିଆ ଖରା, କାଶତଣ୍ଡୀର ହସ ଆଉ ଶଙ୍ଖ, ଘଣ୍ଟର ମଧୁର ମୂର୍ଚ୍ଛନା,ସତେ ଯେମିତି ପ୍ରକୃତି ନିଜେ ମା’ଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି । ଆସନ୍ତୁ ଆଜି ସଂକ୍ଷିପ୍ତରେ ଆଲୋଚନା କରିବା ଜଗତଜନନୀ ମା’ ଦୁର୍ଗାଙ୍କ ଉପରେ ବିଶେଷ ଉପସ୍ଥାପନା ।

ଆମେ ବିଶେଷତଃ ଅନେକ ପାର୍ବଣ ପାଳନ କରିଥାଉ କିନ୍ତୁ
ଦୁର୍ଗାପୂଜା ବା ଶାରଦୀୟ ଦୁର୍ଗୋତ୍ସବର ମାହାତ୍ମ୍ୟ ସନାତନ ଧର୍ମର ବିଭିନ୍ନ ପୁରାଣ ଓ ଧାର୍ମିକ ଗ୍ରନ୍ଥରେ ବହୁ ଭାବରେ ବର୍ଣ୍ଣନା କରାଯାଇଛି । ପୌରାଣିକ ତଥ୍ୟ ଅନୁସାରେ, ଏହି ପୂଜାର ଆରମ୍ଭ ଏବଂ ମହତ୍ତ୍ୱ ପଛରେ ମୁଖ୍ୟତଃ ଦୁଇଟି ପ୍ରମୁଖ ଉପାଖ୍ୟାନ ରହିଛି ଦେବୀ ମହାତ୍ମ୍ୟ (ମାର୍କଣ୍ଡେୟ ପୁରାଣ) ର ମହିଷାସୁର ବଧ ଏବଂ ରାମାୟଣର ଅକାଳ ବୋଧନରେ ପାଇ ପାରିବେ ।
ମହିଷାସୁର ବଧ ଓ ଦେବୀଙ୍କ ଆବିର୍ଭାବ (ମାର୍କଣ୍ଡେୟ ପୁରାଣ)
ପୌରାଣିକ କଥା ଅନୁସାରେ, ମହିଷାସୁର ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରି ବର ପାଇଥିଲା ଯେ, ସୃଷ୍ଟିର କୌଣସି ପୁରୁଷ, ଦେବତା ବା ଦାନବ ତାକୁ ବଧ କରିପାରିବେ ନାହିଁ । ତା ମନରେ ନାରୀଙ୍କ ପ୍ରତି ଅତି ସାଧାରଣ ଚିନ୍ତାଧାରା ଥିବା ପୁରାଣରୁ ଜାଣି ହେଉଛି । ଜଣେ ନାରୀ ଅତି ଦୁର୍ବଳ ସେ ଅବଳା ଏବଂ ସେ ତା’ର କିଛି କ୍ଷତି କରିପାରିବ ନାହିଁ ଭାବି ସେ ନାରୀମାନଙ୍କୁ ତୁଚ୍ଛ ମନେ କରୁଥିଲା । ଏହି ବରର ଅପବ୍ୟବହାର କରି ମହିଷାସୁର ସ୍ୱର୍ଗଲୋକ ଆକ୍ରମଣ କଲା ଏବଂ ଦେବରାଜ ଇନ୍ଦ୍ରଙ୍କୁ ପରାଜିତ କରି ସ୍ୱର୍ଗ ସିଂହାସନ ଅଧିକାର କଲା । ଦିନକୁ ଦିନ ତାର ଅତ୍ୟାଚାର ବଢ଼ି ଚାଲିଲା,ନିରାଶ୍ରୟ ହୋଇ ଦେବତାମାନେ ତ୍ରିଦେବ (ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର)ଙ୍କ ଶରଣାପନ୍ନ ହେଲେ । ଶେଷରେ ଦେବତାମାନଙ୍କ ଶରୀରରୁ ନିର୍ଗତ ହୋଇଥିବା କ୍ରୋଧ ଏବଂ ଦେବଜ୍ୟୋତିର ମିଳନରୁ
ଦେବତାମାନଙ୍କ ଦୁଃଖ ଦୂର କରିବା ପାଇଁ ମହାଶକ୍ତି ମା’ ଦୁର୍ଗେ ଦୁର୍ଗତି ନାସିନୀ ମାଁ ଦୂର୍ଗା ଦେବୀ ଅଭିର୍ଭାବ ହେଲେ । ଭଗବାନ ଶିବ ତାଙ୍କୁ ତ୍ରିଶୂଳ, ବିଷ୍ଣୁ ଚକ୍ର, ଇନ୍ଦ୍ର ବଜ୍ର ଏବଂ ଅନ୍ୟ ଦେବତାମାନେ ନିଜ ନିଜର ଆୟୁଧ ପ୍ରଦାନ କରି ମା’ଙ୍କୁ ଦଶଭୁଜା ସଜାଇଲେ। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ମା’ ଦୁର୍ଗା ଓ ମହିଷାସୁର ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଶେଷରେ ଦଶମୀ ତିଥିରେ ମା’ ମହିଷାସୁରର ବଧ କରି ସୃଷ୍ଟିକୁ ରକ୍ଷା କଲେ। ସେହିଦିନଠାରୁ ମା’ଙ୍କୁ ‘ମହିଷାସୁରମର୍ଦ୍ଦିନୀ’ କୁହାଗଲା ଏବଂ ଏହି ଦିନଟି ‘ବିଜୟା ଦଶମୀ’ ଭାବେ ପୌରାଣିକ ମାନ୍ୟତା ପାଇଲା । ପୁରାଣ ଶାସ୍ତ୍ର ଅନୁସାରେ, ମୂଳ ଦୁର୍ଗାପୂଜା ବସନ୍ତ ଋତୁରେ ‘ବାସନ୍ତୀ ପୂଜା’ ଭାବେ କରାଯିବା ପ୍ରଥା ଥିବା ଦର୍ଶା ଯାଇଛି । କିନ୍ତୁ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶରତ ଋତୁରେ ଏହି ପୂଜାର ପ୍ରଚଳନ କରିଥିଲେ, ଯାହାକୁ ‘ଅକାଳ ବୋଧନ’ ଅସମୟରେ ଦେବୀଙ୍କୁ ଜାଗ୍ରତ କରିବା କୁହାଯାଏ ।
ଲଙ୍କା ଯୁଦ୍ଧ ସମୟରେ ମାୟାବୀ ରାବଣକୁ ପରାସ୍ତ କରିବା ଏବଂ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀରାମ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ମା’ଙ୍କ ଆରାଧନା ପାଇଁ ୧୦୭ଟି ନୀଳପଦ୍ମ ଏବଂ ୧୦୮ଟି ଦୀପ ସଂଗ୍ରହ କରିଥିଲେ। ପୂଜା ସମୟରେ ଦେବୀ ଶ୍ରୀରାମଙ୍କ ଭକ୍ତିର ପରୀକ୍ଷା ନେବା ପାଇଁ ଗୋଟିଏ ନୀଳପଦ୍ମ ଲୁଚାଇ ଦେଇଥିଲେ। ନିଜର ପୂଜା ସଂପୂର୍ଣ୍ଣ କରିବାକୁ ଯାଇ ପଦ୍ମଲୋଚନ ନୀଳ ଲୋଚନ ପ୍ରଭୁ ଶ୍ରୀରାମ ଯେତେବେଳେ ଉପହାର ସ୍ୱରୂପ ନିଜର ଏକ ଚକ୍ଷୁ ମା’ଙ୍କୁ ଅର୍ପଣ କରିବାକୁ ଗଲେ, ସେତେବେଳେ ଦେବୀ ପ୍ରସନ୍ନ ହୋଇ ଆବିର୍ଭାବ ହେଲେ ଏବଂ ରାମଚନ୍ଦ୍ରଙ୍କୁ ବିଜୟର ବରଦାନ ଦେଲେ।ଏହି ଆଶୀର୍ବାଦ ବଳରେ ଶ୍ରୀରାମ ବିଜୟା ଦଶମୀ ଦିନ ରାବଣକୁ ବଧ କରିଥିଲେ। ତେଣୁ ଏହି ପୂଜା ଅଧର୍ମ ଉପରେ ଧର୍ମର ଏକ ବଡ଼ ପୌରାଣିକ ପ୍ରତୀକ ଭାବେ ବିଜୟା ଦଶମୀର ମାହାତ୍ମ୍ୟ ବଢାଇ ଥାଏ ।
ଶ୍ରୀଜଗନ୍ନାଥ ସଂସ୍କୃତିରେ ଦୁର୍ଗା ମାଧବ ଉପାଖ୍ୟାନରୁ ଯାହା ଜଣାଯାଏ,
ଓଡ଼ିଶାର ପୌରାଣିକ ପରମ୍ପରାରେ ଦୁର୍ଗାପୂଜାର ମାହାତ୍ମ୍ୟ ଶ୍ରୀମନ୍ଦିର ସହ ଜଡ଼ିତ। ଆଶ୍ୱିନ ମାସରେ ଶ୍ରୀକ୍ଷେତ୍ର ପୁରୀରେ ଦେବୀ ଦୁର୍ଗା ଏବଂ ପ୍ରଭୁ ମାଧବ (ବିଷ୍ଣୁ) ଏକତ୍ର ପୂଜା ପାଆନ୍ତି, ଯାହାକୁ ‘ଦୁର୍ଗା ମାଧବ’ ଉପାଖ୍ୟାନ କୁହାଯାଏ ।ଶ୍ରୀମନ୍ଦିରରେ ଏହି ସମୟରେ ୧୬ ଦିନ ବ୍ୟାପୀ ଷୋଡ଼ଶ ଦିନାତ୍ମକ ପୂଜା ଚାଲେ। ଏହା ଶାକ୍ତ ଦେବୀ ଉପାସନା ଏବଂ ବୈଷ୍ଣବ ବିଷ୍ଣୁ ଉପାସନା ସଂସ୍କୃତିର ଏକ ଅପୂର୍ବ ସମନ୍ଵୟ ଦେଖିବାକୁ ମିଳେ।

ବାମନ ପୁରାଣ ଓ ଦେବୀ ଭାଗବତ ଅନୁସାରେ, ମହିଷାସୁରର ଅତ୍ୟାଚାର ବଢ଼ିବାରୁ ମହର୍ଷି କାତ୍ୟାୟନ ଜଗତର ମଙ୍ଗଳ ପାଇଁ ଆଦ୍ୟାଶକ୍ତିଙ୍କ କଠୋର ତପସ୍ୟା କରିଥିଲେ। ମହର୍ଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଦେବୀ ତାଙ୍କ କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ, ସେଥିପାଇଁ ତାଙ୍କ ନାମ ‘କାତ୍ୟାୟନୀ’ ହେଲା। ମା’ଙ୍କର ଏହି ରୂପ ନବରାତ୍ରିର ଷଷ୍ଠ ଦିନରେ ପୂଜା ପାଏ, ଯାହା ଦୁର୍ଗାପୂଜାର ମାହାତ୍ମ୍ୟକୁ ଅଧିକ ପବିତ୍ର କରିଥାଏ।
ସଂକ୍ଷେପରେ କହିବାକୁ ଗଲେ,ପୌରାଣିକ ଦୃଷ୍ଟିକୋଣରୁ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଜଗତ କଲ୍ୟାଣ ପାଇଁ ଅସୁର ଶକ୍ତିର ବିନାଶ ଏବଂ ଦେବୀ ଶକ୍ତି ବା ମାତୃଶକ୍ତିର ପ୍ରତିଷ୍ଠାର ପବିତ୍ର ଗାଥା। ସେଥିପାଇଁ ଚଣ୍ଡୀପାଠରେ କୁହାଯାଇଛି,

“ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।”
ଶାସ୍ତ୍ର ମତେ ମା’ ଦୁର୍ଗାଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହେବା ସହ ଅନେକ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ମା’ ଦୁଷ୍ଟ ବିନାଶିନୀ । ତାଙ୍କ ଆରାଧନା କଲେ ମନରୁ ସବୁ ପ୍ରକାରର ଭୟ ଦୂର ହୁଏ ଏବଂ ନକାରାତ୍ମକ ଶକ୍ତି ବା ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତି ହୋଇଥାଏ ।ମା’ଙ୍କ କୃପାରୁ ଘରୁ ଦରିଦ୍ରତା ଦୂର ହୋଇଥାଏ। ପରିବାରରେ ଧନ, ଧାନ୍ୟ, ଐଶ୍ୱର୍ଯ୍ୟ ଓ ସୁଖ ଶାନ୍ତିର ଆଗମନ ହୁଏ।

ନିଷ୍କାମ ଭାବରେ ମା’ଙ୍କ ସେବା ଓ ବ୍ରତ କଲେ ମନୁଷ୍ୟ ଜାଣତରେ ବା ଅଜାଣତରେ କରିଥିବା ପାପରୁ ମୁକ୍ତି ପାଏ ଏବଂ ଅପାର ପୁଣ୍ୟ ଅର୍ଜନ କରେ ।
ମା’ ଦୁର୍ଗାଙ୍କ ମନ୍ତ୍ର ଜପ ଏବଂ ଧ୍ୟାନ କରିବା ଦ୍ୱାରା
ମାନସିକ ଶାନ୍ତି ଓ ସକାରାତ୍ମକ ଉର୍ଜା ପ୍ରାପ୍ତ ହୁଏ ।
ମା’ଙ୍କ ଆଶୀର୍ବାଦରୁ ଶରୀର ନିରୋଗ ରହେ। ଦୀର୍ଘ ଦିନର ଅସୁସ୍ଥତା ଏବଂ ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ ।

