ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଅଛି ପ୍ରତ୍ୟେକ ଚାଷୀର ଶେଷ ଧାନ ବସ୍ତା ପର୍ଯ୍ୟନ୍ତ ନିଶ୍ଚୟ କିଣାଯିବ। ଏହାର ସଫଳ ରୂପାୟନ ପାଇଁ ସରକାର,ବିଭାଗୀୟ କତ୍ତୃପକ୍ଷ,ମିଲର୍ସ ଏବଂ ନିଜେ ଚାଷୀ ଯତ୍ନବାନ ହେବା ଆବଶ୍ୟକତା ଅଛି । ଗୋଟିଏ ଯୋଜନା ସଫଳ ହେବା ପାଇଁ ସରକାରଙ୍କ ନୀତି ପର୍ଯ୍ୟାପ୍ତ ନୁହେଁ, ଏହା ପ୍ରତି ସବୁ ବର୍ଗରୁ ଆନ୍ତରିକତା ରହିଲେ ଯାଇ ସଫଳ ହୋଇଥାଏ । ଧାନ ସମସ୍ୟା ନେଇ ଗ୍ରାଉଣ୍ଡ ଜିରୋରୁ ଯଦି ଅନୁଧ୍ୟାନ କରାଯିବ ତେବେ ଏ ପର୍ଯ୍ୟନ୍ତ ପୁରୁଣା ଢାଞ୍ଚାରେ ଚାଷୀ ଶୋଷଣ ନୀତି ପ୍ରୟୋଗ କରିବାକୁ ଚେଷ୍ଟା ଚାଲିଛି । ଏଥିପାଇଁ ଦାୟୀ କିଏ ? କାହିଁକି ଏହି ସମସ୍ୟା ଦୂର ହୋଇ ପାରୁ ନାହିଁ ? ସମସ୍ୟା ଗମ୍ଭୀର କିନ୍ତୁ କିଏ ଚାଷୀଙ୍କୁ ଶୋଷଣ କରିବାରେ ବ୍ୟସ୍ତ,କାହାର ନୀତି ଅସ୍ପଷ୍ଟ,କିଏ ଚାଷୀଙ୍କୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ତତ୍ପର କେବଳ ଏହି ମାନଙ୍କ ପରିଧି ଭିତରେ ଘଣ୍ଟାଘଣ୍ଟି ହୋଇ ଚାଷୀ ମଧ୍ୟ ଭ୍ରମିତ । ଚାଷୀ ଆମର ଅନ୍ନଦାତା ତାକୁ ଶୋଷଣ କରିବା ଅର୍ଥ ଦେଶକୁ ପଛକୁ ଟାଣି ଆଣିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଚାଷୀର ସମସ୍ୟାକୁ ରାଜନୀତି କରଣ କରା ନଯାଇ ସେ ବିରୋଧୀ ଦଳ ହୋଇ ଥାଆନ୍ତୁ କିମ୍ଭା ଶାସକ ଦଳ
ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିବା ଆବଶ୍ୟକତା ଅଛି । ଚାଷୀର କଷ୍ଟ ଉପାର୍ଜିତ ପରିଶ୍ରମର ଫଳକୁ ମାତ୍ର ଦିନ କେଇଟା ମୁଣ୍ଡ ଘୁରାଇ ସ୍ୱାର୍ଥନ୍ଵେଶି ବ୍ୟକ୍ତି ବିଶେଷ ମାଲାମାଲ ହେବା ଯେଉଁ ପରମ୍ପରା ଚାଲିଛି ତାହା ନହେବା ଉଚ୍ଚୀତ । ଆଜି ଦେଶ ଅନଗ୍ରସର ହେବାର ମୁଖ୍ୟ କାରଣ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଭ୍ରଷ୍ଟାଚାର ଗନ୍ଧ ବାରି ହୋଇଯାଉଛି । ଦେଶ ମାତୃକାର ସେବା ଓ ସୁରକ୍ଷା ଠାରୁ ସ୍ବାର୍ଥ ଭାରି ପଡି ଯାଉଛି ।ବର୍ତ୍ତମାନ କମ ଦିନ ତଳେ ସଂଶୋଧିତ ମିଲିଂ ଚାର୍ଜ ଦର କ୍ୱିଣ୍ଟାଲ ପିଛା ଉଷୁନା ଚାଉଳ(Parboiled Rice) ଏହାର ମିଲିଂ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୨୦ ଟଙ୍କାରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଅରୁଆ ଚାଉଳ (Raw Rice)ଏହାର ମିଲିଂ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ତଥାପି ମିଲାର୍ଶଙ୍କ ଶିଥିଳ ମନୋଭାବ ସୋସାଇଟି ପେକ୍ସ କର୍ମଚାରୀଙ୍କ ବେପରୁଆ ଉଦାସୀନ ନୀତି ପାଇଁ ସ୍ଥାନୀୟ ମଣ୍ଡି ଗୁଡ଼ିକରେ ହଜାର ହଜାର କ୍ଵିଣ୍ଟାଲ୍ ଧାନ ପଡ଼ି ନଷ୍ଟ ହେବାକୁ ବସିଲାଣି । ଏହି କ୍ଷେତ୍ରରେ ସରକାରଙ୍କର ନୀତି ସମ୍ପୂର୍ଣ୍ଣ ସ୍ପଷ୍ଟ ହେବା ଉଚିତ । ଏହି ସମ୍ବେଦନଶୀଳ ବିଷୟ ପ୍ରତି କୋଠର ନୀତି ପ୍ରଣୟନ ହେଉ । କେନ୍ଦ୍ରର MSP ଏବଂ ରାଜ୍ୟର ଇନପୁଟ୍ ସବ୍ସିଡି (Input Subsidy) ମିଶାଇ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବା ଠାରୁ ଚାଷୀ ମୁହଁରେ ହସ ଫୁଟିଛି । ସେହି ହସ ଧାନ ବିକ୍ରୟ ସମୟରେ ଯେମିତି ଫାଟି ନପଡୁ ଯତ୍ନବାନ ହେବା ଆବଶ୍ୟକ । ଯିଏ ଏହି ସବୁ ବିଧି ବ୍ୟବସ୍ଥାରେ ବ୍ୟାଘାତ ଘଟାଉଛି କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ହେଲେ ପରିସ୍ଥିତି ସୁଧୁରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ମୌସୁମୀର ଆଗମନର ଅଭାସ ଆସିଲାଣି । ତେଣୁ ରାଜନୀତି ଏବଂ ଲାଭଖୋର ମନବୃତ୍ତିରୁ ଉର୍ଦ୍ଧ୍ବକୁ ଉଠି ଯେତେ ଶୀଘ୍ର ସମ୍ଭବ ଚାଷୀର ଧାନକୁ ଅସୁରକ୍ଷିତ ମଣ୍ଡି ଗୁଡିକରୁ ଶୀଘ୍ର ଉଠାଇବା ବ୍ୟବସ୍ଥା ହେଉ ।
