ଜୁନାଗଡ଼:୩୦/୦୫(ଜନମତ)ରାଜ୍ୟରେ ଚଳିତ ବର୍ଷ ଖରା ଓ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଅଂଶୁଘାତ ଜନିତ ସମସ୍ୟା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାରୁ ପ୍ରକାଶ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ସିନାପାଲି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପି ଇ ଓ ଗୌରହରି ନାଏକ (୪୭)ଗତ ୨୯ ତାରିଖ ଦିନ ନିଜ କାର୍ଯ୍ୟକ୍ଷେତ୍ରରୁ ଘରକୁ ଫେରି ଅସୁସ୍ଥ ହୋଇ ଯାଇଥିଲେ, ତତ୍କ୍ଷଣାତ୍ ତାଙ୍କୁ ଜୁନାଗଡ଼ ସ୍ଥିତ ଅଗ୍ରୱାଲ ନର୍ସିଂ ହୋମରେ ଆଡମିଟ କରା ଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଗୌରହରୀଙ୍କର ପୈତୃକ ଗ୍ରାମ ଜୁନାଗଡ଼ ବ୍ଲକ ଅଧିନସ୍ଥ ଧନେର ଗ୍ରାମ ବୋଲି ସୂଚନାରୁ ପ୍ରକାଶ । ଗୌରହରି ଜଣେ ଲୋକପ୍ରିୟ ମୀଷ୍ଠଭାଷୀ ମଣିଷ ଥିଲେ । ଗ୍ରାମ ପଞ୍ଚାୟତକୁ ବିଭିନ୍ନ ଅସୁବିଧା ଅଭିଯୋଗ ପାଇଁ ଆସୁଥିବା ଜନସାଧାରଣଙ୍କର କାମକୁ ସର୍ବଦା ଅଗ୍ରାଧିକାର ଦେଇ ଶୀଘ୍ର ସମାଧାନର ବାଟ ବାହାର କରୁଥିଲେ ।କର୍ମକ୍ଷେତ୍ର ତଥା ନିଜ ଗ୍ରାମରେ ତାଙ୍କର ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗୌରହରୀଙ୍କ ପରିବାରରେ ପ୍ରତିପୋଷଣ ପାଇଁ ଆଉ କେହି ନଥିବାରୁ ସରକାର ପରିବାର ବର୍ଗଙ୍କୁ ଉପଯୁକ୍ତ ସାହାଯ୍ୟ ସହାୟତା ଯୋଗାଇ ଦେଲେ ନିରୀହ ପରିବାରଟି ଉପକୃତ ହେବ ବୋଲି ଦାବି ହେଉଛି ।
