ଶିଶୁରୋଗ ବିଶେଷଜ୍ଞ ଡା. ପଲାଉ ପ୍ରଧାନଙ୍କ ପରଲୋକ
ଭବାନୀପାଟଣା:୦୬/୦୬(ବ୍ୟୁରୋ ରିପୋର୍ଟ)କଳାହାଣ୍ଡି ଜିଲ୍ଲାର ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଡା. ପଲାଉ ପ୍ରଧାନଙ୍କ ଅକାଳ ବିୟୋଗ ଖବର ସମଗ୍ର ଜିଲ୍ଲାବାସୀଙ୍କୁ ଗଭୀର ଆଘାତ ଦେଇଛି । ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଶ୍ରୀ ପ୍ରଧାନ ତାମିଳନାଡୁର କୋଏମ୍ବାଟୁରରେ ପରିବାର ସହ ଦକ୍ଷିଣ ଭାରତ ଭ୍ରମଣରେ ଥିବା ବେଳେ ହଠାତ୍ ହୃଦଘାତର ଶିକାର ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ହସ୍ତଗତ ହୋଇଛି । ସୂଚନା ଅନୁଯାୟୀ, ଆଜି ପ୍ରଭାତରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏକ କପ୍ ଚା ପିଇବା ପରେ ସେ ବିଶ୍ରାମ ପାଇଁ ଶୋଇଥିଲେ । କିନ୍ତୁ ସେହି ଶୋଇବା ତାଙ୍କ ଜୀବନର ଶେଷ ନିଦ୍ରା ହୋଇ ରହିଗଲା । ଡା. ପ୍ରଧାନ ଜଣେ ଜନପ୍ରିୟ ଚିକିତ୍ସକ ଥିଲେ । ସେ ଅସଂଖ୍ୟ ପରିବାର ପାଇଁ ଆଶା ଓ ଭରସାର ପ୍ରତୀକ ଥିଲେ । ଶିଶୁ ମାନଙ୍କର ଚିକିତ୍ସା କରିବାରେ ସେ ସିଦ୍ଧହସ୍ତ ଥିଲେ । ତାଙ୍କର ଚିକିତ୍ସା ଦକ୍ଷତା, ନମ୍ର ବ୍ୟବହାର, ମାନବିକତା ଏବଂ ନିଷ୍ଠାପର ସେବା ମନୋଭାବ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା । ସେ ପ୍ରତ୍ୟେକ ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ଭଳି ଯତ୍ନ ଓ ସମ୍ମାନ ଦେଇ ଚିକିତ୍ସା କରୁଥିଲେ । ତାଙ୍କ ପାଖରେ ଚିକିତ୍ସା କରାଇବାକୁ ସମସ୍ତେ ସହଜ ଅନୁଭବ କରୁଥିଲେ । ଆଜିର ବ୍ୟସ୍ତ ଚିକିତ୍ସା ବ୍ୟବସ୍ଥା ମଧ୍ୟରେ ଡା. ପ୍ରଧାନ ତାଙ୍କର ସହାନୁଭୂତି, ଧୈର୍ଯ୍ୟ ଓ ରୋଗୀଙ୍କ ପ୍ରତି ଆନ୍ତରିକତା ପାଇଁ ସର୍ବଦା ସ୍ମରଣୀୟ ରହିବେ। ତାଙ୍କର ପରଲୋକ ସହ କଳାହାଣ୍ଡି ଏକ ଦକ୍ଷ, ଜନପ୍ରିୟ ଏବଂ ମାନବିକ ଚିକିତ୍ସକଙ୍କୁ ହରାଇଛି ।
