ଉମାଶଙ୍କର ମଧ୍ୟ ଇଂରାଜୀ ବିଦ୍ୟାଳୟ,ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ

ପାଳିତ ହେବାକୁ ଯାଉଛି ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ

ଜୟପାଟଣା:୨୯/୦୬/୨୦୨୬
ଦେଶ ସ୍ଵାଧୀନତା ପୂର୍ବରୁ କଳାହାଣ୍ଡିର ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ହାସଲ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ସେହି ସମୟରେ ସ୍ଥାନୀୟ ଜମିଦାରଙ୍କର ଦୂରଦୃଷ୍ଟି ଯୋଗୁଁ ଲୋକାର୍ପଣ ହୋଇଥିଲା କଳାହାଣ୍ଡି ଜିଲ୍ଲା ଜୟପାଟଣା ସ୍ଥିତ, ଉମାଶଙ୍କର ମଧ୍ୟ ଇଂରାଜୀ ବିଦ୍ୟାଳୟ । ଜୟପାଟଣାର ପ୍ରାଣକେନ୍ଦ୍ରରେ ଦଣ୍ତାୟମାନ ଥିବା ଏହି ଐତିହାସିକ ବିଦ୍ୟାଳୟ ଆଜି ତାର ଅସ୍ତିତ୍ବ ହରାଇକୁ ବସିଲାଣି । ଯେଉଁ ଅନୁଷ୍ଠାନ ଦିନେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଗଢ଼ିତୋଳି ଜୀବନର ଆଲୋକ ଦେଖାଇଥିଲା, ଆଜି ତାର ୧୦୦ ବର୍ଷ ପୂର୍ତ୍ତି ସମୟରେ କେବଳ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଭଗ୍ନାବଶେଷ ହିଁ ଅତୀତର ମୂକ ସାକ୍ଷୀ ସାଜିଛି। ବିଦ୍ୟାଳୟର ପୁରାତନ କୋଠା, ରାଜା ରାଜୁଡ଼ା ସମୟର ସେହି ଶକ୍ତ ବିଶାଳକାୟ କାଠ ଦଲମ୍,କାଠ ପାଟି,ଓସାର କାନ୍ଥ, ସେହି ଶ୍ରେଣୀ ଗୃହ, ଏବଂ କବାଡି,ଭଲିବଲ୍ ଖେଳପଡ଼ିଆର ବିତେଇ ଥିବା ଦିନ ଗୁଡିକ ସ୍ମୃତି ଚାରଣ କଲେ ଆଜି ମଧ୍ୟ ମନକୁ ଆସେ ଫେରି ଆସନ୍ତା କି ସେହି ଦିନ ପୁଣି ଥରେ । ସେହି ସମୟରେ ଛାତ୍ର ଛାତ୍ରୀଙ୍କୁ ଗଢି ତୋଳିବା ପାଇଁ କାର୍ଯ୍ୟରତ ମହାନ ଶିକ୍ଷକ ଗଣଙ୍କ ଅକ୍ଲାନ୍ତ ପରିଶ୍ରମ,ସମସ୍ତଙ୍କୁ ସମଭାବାପନ୍ନ ବ୍ୟବହାର ଯୋଗୁଁ ଆଜି ଆମେ ସମାଜରେ ଉତ୍ତମ ମଣିଷ ଭାବେ ପ୍ରତିଷ୍ଠିତ ହୋଇ ପାରିଛୁ । ୧୦୦ ବର୍ଷର ଏହି ଦୀର୍ଘ ଯାତ୍ରାରେ ଏହି ସ୍କୁଲ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ବିପ୍ଳବର ମୁଖ୍ୟ ବାହକ ସାଜିଥିଲା । ଦିନଥିଲା ତୋର କୋଳରେ କେତେ ବିଦ୍ୱାନ ଛାତ୍ର ଛାତ୍ରୀ ପାଠ ପଢ଼ି ରାଜନେତା,ଅଫିସର, କଲେକ୍ଟର,ବୈଜ୍ଞାନିକ,ସମାଜସେବୀ ବାହାରିଛନ୍ତି । କିନ୍ତୁ ତୋର ଦୂରାବସ୍ଥା ଦେଖିଲେ ଅତ୍ୟନ୍ତ କଷ୍ଟ ଲାଗେ,କେମିତି ତୋ ଛାତ୍ର ଛାତ୍ରୀଙ୍କ ଆଢ଼ୁଆଳରେ ତୁ ଏପରି ପରିତ୍ୟକ୍ତ ହୋଇ ରହିଗଲୁ । କଣ କେହି ବି ତୋ କଥା କେବେ ଭାବିଲେ ନି? ଶତାବ୍ଦୀ ପୂର୍ତ୍ତି ଅବସରରେ ଏହି ଭଙ୍ଗା ବିଶେଷକୁ ଦେଖିଲେ ଛାତି ଦୋହଲି ଯାଉଛି । ସେ ଯାହା ହେଉ ଅନ୍ତତଃ ତୋର ଶତାୟୁ ପୂରଣ ଉତ୍ସବ ପାଇଁ ଡେରି ରେ ହେଲେ ବି ଅଣ୍ଟା ଭିଡିଛନ୍ତି ପୁରାତନ ଛାତ୍ର ସଂସଦ । ହେ ମୋର ପ୍ରିୟ ବିଦ୍ୟାଳୟ “ଆଧୁନିକତାର ଚେହେରା ଭିତରେ ତୋର ସେହି ପୁରୁଣା ସ୍ମୃତି,ତୋର ଅବଦାନ ସଦାସର୍ବଦା ପ୍ରତିଟି ଜୟପାଟଣାବାସୀଙ୍କ ହୃଦୟରେ ଅମର ହୋଇ ରହିବ ନିଃସନ୍ଦେହ ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!