ସ୍ଵାଧୀନତା ପରବର୍ତ୍ତି ଭାରତର ସ୍ଥିତି ଏବଂ ଜନତାଙ୍କର ମାନସିକତା

ସ୍ଵାଧିନତା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କେଉଁ ଉପଲବ୍ଧି ହାସଲ କରିଛୁ,ନିଶ୍ଚିତ ଆତ୍ମ ମନ୍ଥନ କରିବାର ଆବଶ୍ୟକତା ଅଛି । ଦେଶ ସ୍ଵାଧୀନତା ପରେ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ଉଠିଲା । ଏଥିରେ ସାମାଜିକ ପରିବର୍ତ୍ତନ ନାଗରିକ ଓ ରାଷ୍ଟ୍ରମଧ୍ୟରେ ଥିବା ସମ୍ପର୍କକୁ ବ୍ୟାଖ୍ୟା କରିବାର ବ୍ୟବସ୍ଥା ରହିଲା । ଗଣତନ୍ତ୍ର ଏକ ଲୋକ ପ୍ରିୟ ଶାସନ ବ୍ୟବସ୍ଥା , ଯାହା ସର୍ବଦା ଜନକଲ୍ୟାଣ,ଜନମଙ୍ଗଳ,ସମୂହ ସ୍ବାର୍ଥକୁ ଅଗ୍ରାଧିକାର ଦେଇଥାଏ । ଆମର ମୂଳ ମନ୍ତ୍ର ବସୁଧୈବ କୁଟୁମ୍ବକମ୍‌ ଯାହା ବିବିଧତା ମଧ୍ୟରେ ଏକତା ଭଳି କଠିନ କାର୍ଯ୍ୟକୁ ସମ୍ପାଦିତ କରିବାର ଲକ୍ଷ୍ୟ ରଖିଥାଏ । ସ୍ଵାଧୀନତା ପରଠାରୁ ଆମେ ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ବିଜ୍ଞାନ,ପ୍ରଯୁକ୍ତି ବିଦ୍ୟା,କୃଷି ତଥା ଅର୍ଥନୈତିକ ସ୍ଥିରତା ପାଇଛୁ କିନ୍ତୁ ସନ୍ତୁଷ୍ଟି ଜନକ କୁହା ଯାଇପାରିବକି ବିଚାର ସାପେକ୍ଷ । ଉଭୟ ଗଣତନ୍ତ୍ର ଓ ଜନମତ ଏକ ଓ ଅଭିନ୍ନ ।ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ରହିଛି କିନ୍ତୁ ଏଥିରେ ବ୍ୟତିକ୍ରମ ଘଟୁଥିବା ଦେଖିବାକୁ ମିଳେ । ରାଜନୈତିକ ସ୍ୱାର୍ଥ ଏବଂ କ୍ଷମତାର ମୋହ ଯୋଗୁଁ ସ୍ଵାଧୀନତା ପରବର୍ତ୍ତୀ ଭାରତ ଆଶାନୁରୂପ ସଫଳତା ପାଇବାରେ ବିଫଳ ହୋଇଛି ।ଦେଶବାସୀଙ୍କ ମଧ୍ୟରେ ସ୍ବାଧୀନତାର ପୂର୍ବବର୍ତ୍ତୀ ଦେଶାତ୍ମବୋଧକ ଚିନ୍ତାଧାରା ପରବର୍ତ୍ତୀ ସମୟରେ ହ୍ରାସ ପାଇବାରେ ଲାଗିଥିବା ପ୍ରତ୍ୟୟ ହୁଏ । ଧିରେ ଧିରେ ଦେଶ କ୍ଷମତା ପିପାସୁଙ୍କ ଚକ୍ରବ୍ୟୁହରେ ପଡ଼ି ନିମ୍ନଗାମୀ ହେବାରେ ଲାଗିଛି । ଆମେ ଆଧୁନିକତାର ସମୟ ସ୍ରୋତରେ ଭାସି ବ୍ୟକ୍ତିଗତ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଆମର ପ୍ରକୃତ କର୍ତ୍ତବ୍ୟ କଣ ଭୁଲି ଯାଇଛୁ ।
ସ୍ବାଧୀନତାର ୭୮ ବର୍ଷ ବିତେଇଲା ପରେ ମଧ୍ୟ ଦେଶର ଜନସାଧାରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରକୃତ ଅର୍ଥ ବୁଝି ପାରି ନାହାଁନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସାଙ୍ଗକୁ ଦେଶର ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ଲକ୍ଷଚ୍ୟୁତ ହୋଇ ଚାଲିଛି । ଗଣତନ୍ତ୍ରରେ ଜନସାଧାରଣଙ୍କର ଅଂସଗ୍ରହଣର ଚେହେରା ଏବେ ବଦଳିବାରେ ଲାଗିଛି । ସ୍ୱାର୍ଥନ୍ଵେଶି ମନୋଭାବ ଯୋଗୁଁ ଦେଶ ମାତୃକାର ସେବା ପାଇଁ କାହାରି ମନରେ ଆତ୍ମିୟତା ନଥିବା ପରିଲକ୍ଷିତ ହେଉଛି ଯାହା ଆଗାମୀ ଭବିଶ୍ୱତ ପାଇଁ ଆଦୌ ଶୁଭଙ୍କର ନୁହେଁ । ଗଣତନ୍ତ୍ର ଶାସନ ବ୍ୟକ୍ତି କେନ୍ଦ୍ରିକ,ପରିବାରବାଦ,ଜାତି ବାଦ ତଥା ଧର୍ମାନ୍ତିକରଣରେ ଛନ୍ଦି ହୋଇଯିବା ଦୁର୍ଭାଗ୍ୟଜନକ । ଦେଶର ଯେ କୌଣସି ଦିଗକୁ ଅନୁମାନ କରନ୍ତୁ ହୃଦୟଙ୍ଗମ କରିବେ ଆମର ସ୍ଥିତି କଣ ହୋଇ ଯାଇଛି ।ଦେଶର ଶାସନ ବ୍ୟବସ୍ଥାରେ ନିର୍ବାଚନ ବୈତରଣୀ ପାର ହେବା ଲାଗି ଗଣତନ୍ତ୍ରକୁ ଦ୍ୱାହି ଦେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମାଗଣା ଯୋଜନା ଘୋଷଣାକୁ ନେଇ ହେଉଥିବା ପ୍ରତିଯୋଗିତା ଆମର ଆର୍ଥିକ ପରିସ୍ଥିତିକୁ ରସାତଳଗାମୀ କରିଦେଉଛି । ପ୍ରତି ମାଗଣା ଯୋଜନା ବ୍ୟବସ୍ଥା ‌ଆମର ରାଜନୈତିକ ବିଫଳତା କୁହାଯିବ । ମାଗଣା ଯୋଜନା ଦ୍ବାରା ନିର୍ବାଚନ ଜିତିହେବ, କିନ୍ତୁ ରାଷ୍ଟ୍ର ଗଠନ କରିହେବ ନାହିଁ । ଯାହାର ଦେଶ ସେବା ପ୍ରତି ସ୍ପୃହା ଥିଲେ ମଧ୍ୟ ଜନସାଧାରଣଙ୍କୁ ଆକର୍ଷିତ ହେବା ଭଳି ଯୋଜନା ପ୍ରଣୟନ ନକଲେ ସତ୍ତାକୁ ଆସିବା କାଠିକର ପାଠ ହୋଇ ଯାଇଛି । ତେଣୁ ଏହି ବିଷମ ପନ୍ଥା ଆପଣେଇବାକୁ ବାଧ୍ୟ ହେଉଛନ୍ତି ରାଜନୈତିକ ଦଳ ଗୁଡ଼ିକ । ଏହାର ଅନ୍ୟ ଦିଗକୁ ଯଦି ଦେଖିବା ବିଶ୍ଵ ବିଂଶ ଶତାବ୍ଦୀରେ ପାଦ ଦେଲାଣି କିନ୍ତୁ ଆମେ ଏ ପର୍ଯ୍ୟନ୍ତ ଶିକ୍ଷା ଭଳି ମୁଖ୍ୟ ମୌଳିକ ଲକ୍ଷରୁ ବହୁତ୍ ପଛରେ ପଡି ଯାଇଛୁ । ଦେଶର ଜନତା ଆଜି ପର୍ଯ୍ୟନ୍ତ ଗଣତନ୍ତ୍ର ଶାସନରେ ତାଙ୍କର ଭୂମିକାକୁ ହୃଦୟଙ୍ଗମ କରିବାରେ ବିଫଳ ଅଛନ୍ତି । ଏପରି ସ୍ଥଳେ ଆଶାନୁରୂପ ଶାସନ ଦେବାରେ ସଫଳତା ମିଳୁନାହିଁ । ଆଉ ନିଯୁକ୍ତି ସୃଷ୍ଟି, ଉତ୍ପାଦକତା ବୃଦ୍ଧି କିମ୍ବା ମାନବ ସମ୍ବଳ ଗଢ଼ିବା ସମ୍ପର୍କରେ ଏବେ ଆଉ ବିତର୍କ ହେଉ ନାହିଁ । କେଉଁ ଯୋଜନା ପ୍ରଣୟନ କଲେ ଜନତାଙ୍କୁ ଆକର୍ଷିତ କରିହେବ ତାହା ଉପରେ ଧ୍ୟାନ ରହୁଛି ।
ପ୍ରତ୍ୟେକ କ୍ଷେତ୍ରରେ ଏପରି ପ୍ରଥା ସୃଷ୍ଟି ହୋଇ ସାରିଛି । ପ୍ରଶାସନିକ ଅଧିକାରୀ ମାନେ ଲାଭଖୋର ମନବୃତ୍ତି ଯୋଗୁଁ ଲାଞ୍ଚୁଆ ହୋଇ ଗଲେଣି । ସ୍ଵାସ୍ଥ୍ୟ ଭଳି ଗୁରୁତ୍ୱପୁର୍ଣ୍ଣ ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍ ପଡି ନାହିଁ । ଦେଶରେ ମର ଶରୀରକୁ ନେଇ ମଧ୍ୟ ଅନେକ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅର୍ଥ ଦାବି ଭଳି ଅମାନୁଷିକ କାର୍ଯ୍ୟ କରିବାକୁ ପଛାଉ ନଥିବା ନଜିର ରହିଛି । ଶିକ୍ଷାଦାନ ବ୍ୟବସ୍ଥାରେ ମଧ୍ୟ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟବସାୟିକ ମନୋବୃତ୍ତି ଯୋଗୁଁ ମାଳ ମାଳ ବେସରକାରୀ ଶିକ୍ଷାନୁଷ୍ଠାନ ନିଜ ଭିତରେ ପ୍ରତିଯୋଗିତା ଚଲାଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ଗତି କରୁଛି । ବ୍ୟବସାୟିକ କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ଯୁକ୍ତ ସାମଗ୍ରିକ ଅବନତି ଦେଖିବାକୁ ମିଳୁଛି । ସବୁ ବ୍ୟବସାୟରେ ବ୍ୟାପକ କଳା ବଜାରି ବୃଦ୍ଧି ପାଇଛି । ଅପମିଶ୍ରଣ ନିମ୍ନ ମାନର ଦ୍ରବ୍ୟ ସାମଗ୍ରୀ ବୃଦ୍ଧି ପାଇଛି । କୃଷି କ୍ଷେତ୍ରରେ ମଧ୍ୟ ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ସାମଗ୍ରୀ ମିଳୁନାହିଁ । ଅନ୍ୟାନ୍ୟ ଦିଗ ତୁଳନାରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଆଶାନୁରୂପ ରହୁ ନାହିଁ । ମାଗଣା ଯୋଜନା ପ୍ରଭାବ ସିଧା ସଳଖ କୃଷି କ୍ଷେତ୍ରରେ ପଡୁଛି । ଲୋକେ ଚାଷ କାମ ପାଇଁ ମୂଲ ଯାଉ ନାହାଁନ୍ତି ଫଳରେ ଯନ୍ତ୍ରାଂଶ ସାହାରା ଏକମାତ୍ର ଭରସା । ଏସବୁ ଆନୁସାଙ୍ଗିକ ବ୍ୟବସ୍ଥାରେ କୃଷକ କମ୍ କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ ବ୍ୟାପକ ରାସାୟନିକ ସାର୍ ଏବଂ କିଟ ନାଶକ ବ୍ୟବହାର କରୁଛି, ତେଣୁ ଖାଦ୍ୟ ପଦାର୍ଥ ଗୁଡ଼ିକ ଅସ୍ଵାସ୍ଥ୍ୟକର ହୋଇ ପଡୁଛି । ଏବର ଯୁବା ବର୍ଗ କୃଷି କ୍ଷେତ୍ର ପାଇଁ ଆଉ ଆଗ୍ରହୀ ନଥିବା ଦେଖିବାକୁ ମିଳୁଛି । ଦେଶର ପ୍ରାୟ ରାଜ୍ୟରେ ସରକାରଙ୍କର ଉନ୍ନୟନ ମୂଳକ କାର୍ଯ୍ୟରେ ସବୁଠାରୁ ବ୍ୟାପକ ହରିଲୁଟ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ସାଧାରଣ ଘଟଣା ହୋଇ ଗଲାଣି । ବର୍ତ୍ତମାନ ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଦେଶ ମାତୃକାର ଚିନ୍ତା ଠାରୁ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଅଗ୍ରାଧିକାର ଦିଆ ଯାଉଛି । ଯଦି ଇତିହାସକୁ ଅବଲୋକନ କରିବା ଦୀର୍ଘ ୮୦୦ ବର୍ଷ ମୋଗଲ ଶାସନ ଏବଂ ୨୦୦ ବର୍ଷ ଗୋରା ଶାସନର ଗୋଲାମୀରୁ ଦେଶ ଏବେ ଏବେ ଉଭୂରିଛି । ସ୍ଵାଧୀନତା ପରେ ଦେଶ ଦୁଇ ଖଣ୍ଡ ହେବା ଏବଂ ପରବର୍ତ୍ତୀ ସମୟରେ ଆଉ ଖଣ୍ଡେ ଅଲଗା କରିବା ଅତି ଯନ୍ତ୍ରଣା ଦାୟକ ନିଷ୍ପତି ଥିଲା । ତଥାପି ଆମ ଦେଶ ଏପର୍ଯ୍ୟନ୍ତ କେଉଁ ଉପଲବ୍ଧି ହାସଲ କରିଛି ଆତ୍ମଚିନ୍ତନ କରିବା ନିତାନ୍ତ ଜରୁରୀ । ସ୍ୱାଧୀନତା ପାଇଁ ଯେଉଁ ମାନେ ନିଜକୁ ବଳିଦାନ ଦେଇଥିଲେ କଣ ଏହି ଦିନ ଦେଖିବା ପାଇଁ । ଆଜି ବିଶ୍ୱରେ ଆମେରିକା ଏପରି ଏକ ଦେଶ ସେମାନେ ସମଗ୍ର ବିଶ୍ବକୁ ନିଜ ହାତ ମୁଠାରେ ରଖିବାରେ ସଫଳତା ପାଇଛନ୍ତି । ଏଥିପାଇଁ ସେମାନଙ୍କର ଉନ୍ନତ ଚିନ୍ତାଧାରା ଜଡ଼ିତ । ଆଜି ଇରାନ ଭଳି ଦେଶ ସହିତ ଲଢେଇ କରି ନିଜ ସାମରିକ ଶକ୍ତିରେ ବ୍ୟାପକ କ୍ଷତି ସହିବା ସତ୍ତ୍ୱେ ବିଶ୍ୱରେ ଡଲାରର ଶକ୍ତି ଆହୁରି ବୃଦ୍ଧି ପାଇ ଚାଲିଛି । ଏଥିପାଇଁ ତାଙ୍କ ଦେଶର ନାଗରିକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ରାଜନୀତିରୁ ଉର୍ଦ୍ଧ୍ବରେ ଉଠି ବିଶ୍ୱରେ ଆମ ଦେଶ କିପରି ଏକ ସମୃଦ୍ଧ ସର୍ବ ଶକ୍ତିମାନ ଦେଶ ଭାବେ ଦଣ୍ତାୟମାନ ହେବ ସମସ୍ତ ଦେଶବାସୀଙ୍କର ମୂଳ ଲକ୍ଷ ହେବା କଥା ।

ଜଗମୋହନ ପଟ୍ଟନାୟକ,ସମ୍ପାଦକ ଜନମତ ନ୍ୟୁଜ

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!